ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି, ଯାହାର ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା। କିଛି ସ୍ଥାନ ପ୍ରାକୃତିକ ଭାବେ ସୁନ୍ଦର ଓ ଆକର୍ଷକ ହୋଇଥିବାବେଳେ ଆଉ କିଛି ସ୍ଥାନ ବେଶ୍‌ ମନଲୋଭା କରି ଗଢ଼ାଯାଏ। ସେମିତି ଏକ ସ୍ଥାନ ହେଉଛି ଦକ୍ଷିଣ କୋରିଆର ସାଉଥ୍‌ ଜିଓଲା ପ୍ରାନ୍ତର ସିନାନ୍‌ କାଉଣ୍ଟିରେ ଥିବା ‘ବନୱଲ୍‌ ଆଇଲାଣ୍ଡ୍‌’। ଏହା ପର୍ପଲ ଆଇଲାଣ୍ଡ୍‌ ବା ହାଫ୍‌ ମୁନ୍‌ ଆଇଲାଣ୍ଡ୍‌ ଭାବେ ବେଶ୍‌ ପରିଚିତ। ଏହି ଦ୍ବୀପର ଯେଉଁଅ‌ାଡ଼କୁ ଆଖି ବୁଲାଇବେ ପର୍ପଲ ବା ବାଇଗଣୀ ରଙ୍ଗ ହିଁ ଦେଖିବାକୁ ମିଳିବ। ରଙ୍ଗକୁ ଭଲ ପାଉଥିବା ଲୋକଙ୍କୁ ଏହା ସ୍ବର୍ଗ ଭଳି ଅନୁଭୂତ ହେବ। ଏଠାକାର ସବୁ ଘରର ରଙ୍ଗ ପର୍ପଲ ବା ବାଇଗଣୀ, ରାସ୍ତାଘାଟ ଓ ପୋଲର ରଙ୍ଗ ବି ବାଇଗଣୀ। ୪୦,୦୦୦ରୁ ଅଧିକ ବାଇଗଣୀ ରଙ୍ଗର ଲାଭେଣ୍ଡର ଗଛ ବି ଲଗାଯାଇଛି। ଏଠାକାର ହୋଟେଲ୍‌ ରୁମ୍‌ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ୍‌, ଟୟଲେଟ୍‌ ସବୁକିଛି ବାଇଗଣୀ ରଙ୍ଗର। ସ୍ଥାନୀୟ କାର୍‌ଗୁଡ଼ିକ ବି ବାଇଗଣୀ ରଙ୍ଗର।

ଅଜବ କାକ୍‌ଟସ୍‌
କ୍ରାସୁଲା ବେବି ନେକ୍‌ଲେସ୍‌ କାକ୍‌ଟସ୍‌ ଏକ ହାଇବ୍ରିଡ୍‌ ମାଇରନ୍‌ କମି୍‌ନାକ୍‌ ଜାତୀୟ କାକ୍‌ଟସ୍‌। ଏହାର ପତ୍ରଗୁଡ଼ିକ ଛୋଟ, ହାଲ୍‌କା ଓ ନଡ଼ା ଆକାରର କାଣ୍ଡ ପରି ଏବଂ ଏହା ଦେଖିବାକୁ ମାଳିରେ ଗୁନ୍ଥା ହୋଇଥିବା ନେକ୍‌ଲେସ୍‌ ପରି। ଏହା ପ୍ରାୟ ୧୨ ଇଞ୍ଚ ଯାଏଁ ବଢ଼େ। ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମ ଋତୁ ଆରମ୍ଭ ସମୟରେ ଏଥିରେ ଫଳ ଆସିଥାଏ। ସେହିପରି ମୌନା ଲୋଆ ଦେଖିବାକୁ ଏକଦମ୍‌ ଗୋଲାଫ ଫୁଲ ପରି। ପତ୍ରଗୁଡ଼ିକ ଭିତର ଆଡ଼ୁ ସବୁଜ ହୋଇ ଶେଷ ଆଡ଼କୁ ନାଲି ରଙ୍ଗର ଢେଉ ଆକାରର। ଏହାକୁ ଦେଖିଲେ କେହି କାକ୍‌ଟସ୍‌ ବୋଲି ‌ବିଶ୍ବାସ କରିବେ ନାହିଁ। ଏହା ଏକେଭେରିଆଲ୍‌ କଲଟିଭର ଜାତୀୟ କାକ୍‌ଟସ୍‌। ଏହା ବଞ୍ଚିବା ପାଇଁ ଅଧିକ ପାଣି ଆବଶ୍ୟକ କରିଥାଏ।

The post ନୂଆ ସମୟ, ନୂଆ କଥା: ପର୍ପଲ ଆଇଲାଣ୍ଡ୍‌ ଏବଂ ଅଜବ କାକ୍‌ଟସ୍‌ first appeared on Sambad.

from ଫୁଲଝରି | Sambad https://ift.tt/3xU7HNC