ସେଦିନ ମୀରା ସ୍କୁଲରୁ ଘରକୁ ସାଇକେଲରେ ଫେରୁଥାଏ। ତା’ ନଜର ବାଟରେ ପଡ଼ିଥିବା ଏକ ପର୍ସ ଉପରେ ପଡ଼ିଲା। ସାଇକେଲରୁ ଓହ୍ଲାଇ ପର୍ସ ଖୋଲି ଦେଖେତ ସେଥିରେ କିଛି ଟଙ୍କା ରହିଛି। ସେ ବହୁତ ଖୁସି ହୋଇଗଲା। ଗଲା ତିନିମାସ ହେଲା ସେ ତା’ ବାବାଙ୍କୁ ଜ୍ୟାମିତି ବାକ୍ସ ଓ ଆଟଲାସ୍‌ ଆଣିବା ପାଇଁ କହିଥିଲା। ବାବା ତା’ ପାଇଁ ଏସବୁ ଆଣି ପାରି ନଥିଲେ। ଏଥର ତା’ର ଦୁଃଖ ଦୂର ହେବ। ସେ ମନେ ମନେ ବହୁତ ଖୁସି ହେଉଥିଲା। ହେଲେ ତା’ର ଏ ଖୁସି ବେଶି ସମୟ ରହିଲା ନାହିଁ। ତା’ ମନକୁ ପ୍ରଶ୍ନ ଆସିଲା-’ ଯାହାର ଏ ଟଙ୍କା ହଜିଥିବ ,ସେ କେତେ ବ୍ୟସ୍ତ ହେଉ ଥିବ’! ସେ ସେମିତି ରାସ୍ତାରେ ଠିଆ ହୋଇ ହଜିଥିବା ପର୍ସ ଫେରାଇବା ପାଇଁ ଲୋକଟିକୁ ଅପେକ୍ଷା କରିବାକୁ ଲାଗିଲା।

ଏପଟେ ଘରେ ଠିକ ସମୟରେ ନ ପହଞ୍ଚିବାରୁ ଘରେ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଲେ। ଏଇ ସମୟରେ ତା’ ମାମୁ ଅଫିସରୁ ଆସି ପହଞ୍ଚି‌େଲ। ମାମାଠୁ ମୀରା ନ ଆସିବାର ଖବର ପାଇ ସେ ବ୍ୟସ୍ତ ହୋଇ ତାକୁ ଖୋଜିବା ପାଇଁ ବାହାରି ପଡ଼ିଲେ। ହଠାତ୍‌ ମୀରାକୁ ରାସ୍ତାକଡ଼ରେ ପ୍ରବଳ ଖରାରେ ସାଇକେଲ ଧରି ଏକୁଟିଆ ଠିଆ ହୋଇଥିବା ଦେଖି ସେ ଚମକି ପଡ଼ିଲେ। ମୀରା ଦେହରୁ ଗମ ଗମ ଝାଳ ବାହାରୁଥାଏ। ମାମୁଙ୍କୁ ଦେଖି ମୀରା ସବୁ ଘଟଣା କହିଲା। ମାମୁ ମନେ ମନେ କହିଲେ- ବିବେକର ପ୍ରଶ୍ନ ଓ ସଂସ୍କାର ଭାବନା ମୀରା ଭଳି ଝିଅକୁ ରାସ୍ତାରେ ଠିଆ ହେବାକୁ ବାଧ୍ୟ କରିଛି। ମାମୁଙ୍କ ସହିତ ସେ ଘରେ ଆସି ପହଞ୍ଚିଲା। ରାତିରେ ସମସ୍ତେ ଖାଇପିଇ ଶୋଇବାକୁ ଗଲେ। ମୀରାର ମନ ଜମାରୁ ବୁଝୁ ନଥିଲା ।

ମାମୁ ସକାଳୁ ଉଠି ଅଫିସକୁ ଚାଲିଗଲେ। ଆର ଦିନ ସକାଳୁଆ ସ୍କୁଲ ଥିଲା। ସେ ସ୍କୁଲକୁ ଗଲା। ପ୍ରାର୍ଥନା ସଭାରେ ପ୍ରଧାନଶିକ୍ଷକ ପିଲାମାନଙ୍କୁ କହିଲେ- ପିଲେ! ଗତକାଲି ଆମ ସ୍କୁଲର ଜଣେ ଝିଅ ମାଟ୍ରିକ ପରୀକ୍ଷା ଫର୍ମ ପୂରଣା ପାଇଁ ଆସିଥିଲା। ସେ ଟଙ୍କା ଆଣିଥିବା ପର୍ସଟି କେଉଁଠି ହଜେଇ ଦେଇଛି । କାନ୍ଦି କାନ୍ଦି ବହୁତ ମନ ଦୁଃଖ କରି ଘରକୁ ଫେରିଛି। ସେ ଫର୍ମ ପୂରଣ କରି ପାରିନାହିଁ । ଆଜି ହେଉଛି ଫର୍ମ ପୂରଣର ଶେଷ ତାରିଖ। ଯଦି କେହି ପିଲା ସେଇ ପର୍ସଟି ପାଇଛ ,ତେବେ ଏବେ କୁହ। ଏ ଖବର ଶୁଣି ମୀରା ଦେହରେ ଶିହରଣ ସୃଷ୍ଟି ହେଲା। ଏଇ ସମୟରେ ପୁଲିସ ଅଫିସର ପର୍ସରୁ ତା ସ୍କୁଲର ନାମ ପାଇ ଆସି ପହଞ୍ଚିଗଲେ। ମୀରା ନାମକ ଏଇ ସ୍କୁଲର ଝିଅଟି ଏହି ପର୍ସଟି ତା’ ମାମୁ ମାଧ୍ୟମରେ ଥାନାକୁ ଫେରେଇଛି। ପୁଲିସ ଅଫିସରଙ୍କ ମୁହଁରୁ ମୀରାର ସଚୋଟ୍ଟପଣିଆ କଥା ଶୁଣି ସମସ୍ତେ ତାଳିମାରି ତା’ର ପ୍ରଶଂସା କଲେ। ମୀରାର ସଚୋଟ୍ଟପଣିଆ ପାଇଁ ତାକୁ ପୁରସ୍କୃତ କରାଗଲା।

ଅଷ୍ଟମ ଶ୍ରେଣୀ, କେଜିଏନ୍ ହାଇସ୍କୁଲ୍,
କାକଟପୁର, ପୁରୀ

The post ମୀରା ଓ ପର୍ସ first appeared on Sambad.

from ଫୁଲଝରି | Sambad https://ift.tt/3cue0h0